ଭୁବନେଶ୍ୱର: ଦି ଇଣ୍ଟରନ୍ୟାସନାଲ ପରଫର୍ମିଂ ଆର୍ଟସ ଫେଷ୍ଟିଭାଲ ( ଆଇ ପି ଏ ଏଫ୍ ) ଭୁବନେଶ୍ଵରର ଜୟଦେବ ଭବନରେ ୨୦୨୬ ଅକ୍ଟୋବର ୨୪ ତାରିଖରେ ତାହାର ୯ମ ସଂସ୍କରଣ ସଫଳତାର ସହିତ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ବିଶିଷ୍ଟ ଅତିଥିବୃନ୍ଦ, ଖ୍ୟାତିସମ୍ପନ୍ନ କଳାକାର, ଉଦୀୟମାନ ପ୍ରଦର୍ଶନକାରୀ ଏବଂ ଶ୍ରବଣ ବାଧିତ ଛାତ୍ର ଛାତ୍ରୀଙ୍କୁ ପ୍ରଦର୍ଶନ କଳା ଜରିଆରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳାତ୍ମକ ଉତ୍କର୍ଷ ଓ ଅନ୍ତର୍ଭୁକ୍ତିକୁ ପାଳନ କରିବା ନିମନ୍ତେ ଏକ ପ୍ରେରଣାଦାୟୀ ସନ୍ଧ୍ୟାରେ ଏକତ୍ରିତ କରିଥିଲା। ସାଂସ୍କୃତିକ ଉଦ୍ୟୋଗୀ ଶ୍ରୀ ଶ୍ୟାମ ପାଣ୍ଡେ, ଡାଇରେକ୍ଟର, ଦି ଇଣ୍ଟରନ୍ୟାସନାଲ ପରଫର୍ମିଂ ଆର୍ଟସ୍ ଫେଷ୍ଟିଭାଲଙ୍କ ଦ୍ଵାରା ୨୦୧୫ ଜୁଲାଇ ୨୩ ତାରିଖରେ ଅହମଦାବାଦସ୍ଥିତ ଟାଗୋର ହଲ୍ ଠାରେ ଆଇପିଏଏଫ୍ ସ୍ଥାପିତ ହୋଇଥିଲା। ଏହି ଉତ୍ସବ ସମଗ୍ର ଭାରତରେ ପାରମ୍ପରିକ କଳା ପ୍ରକାର ଗୁଡ଼ିକର ସଂରକ୍ଷଣ, ଉଦୀୟମାନ ପ୍ରତିଭାଙ୍କୁ ଉତ୍ସାହିତ କରିବା ଏବଂ କଳାକାରମାନଙ୍କୁ ଅର୍ଥପୂର୍ଣ୍ଣ ମଞ୍ଚ ଯୋଗାଇଦେବାକୁ ଉତ୍ସର୍ଗୀକୃତ ଅଟେ।
ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ ବିବିଧତାକୁ ପାଳନ କରି ଏହି ସନ୍ଧ୍ୟାରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶାର ପାରମ୍ପରିକ ନୃତ୍ୟ ଐତିହ୍ୟ, ଲୋକ କଳା ପରମ୍ପରା ଓ ସମାବେଶୀ କଳାତ୍ମକ ଅଭିବ୍ୟକ୍ତି ପ୍ରଦର୍ଶନ ଭିତ୍ତିକ ବିବିଧ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା।
ପଣ୍ଡିତ ଅଭିରାମ ନନ୍ଦ ଓ ତାଙ୍କ ଗ୍ରୁପ୍ ଦ୍ଵାରା ମନମୁଗ୍ଧକର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ବଂଶୀ ବାଦନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କିମ୍ବଦନ୍ତୀ ବଂଶୀ ବାଦକ ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କର ଜଣେ ବରିଷ୍ଠ ଶିଷ୍ୟ ପଣ୍ଡିତ ନନ୍ଦ ତାଙ୍କର ତଲ୍ଲିନକାରୀ ବଂଶୀ ବାଦନରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ତାଙ୍କ ସହିତ ତବଲାରେ ଶ୍ରୀ ବିଶ୍ଵ ରଞ୍ଜନ ନନ୍ଦ ଓ ପଖଉଜରେ ସୌମ୍ୟ ରଂଜନ ନାୟକ ସଂଗତ କରିଥିଲେ। ପରେ ପରେ ଦର୍ଶକଙ୍କ ସମ୍ମୁଖରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶାୟୋମିତା ଦାସଗୁପ୍ତା ଚମତ୍କାର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କିମ୍ବଦନ୍ତୀ ଗୁରୁ କେଳୁଚରଣ ମହାପାତ୍ରଙ୍କ ସମେତ ବିଶିଷ୍ଟ ଗୁରୁମାନଙ୍କ ଅଧୀନରେ ଓଡ଼ିଶୀ ନୃତ୍ୟ ତାଲିମ ନେଇଥିବା ଶାୟୋମିତା ଦୁର୍ଗା ସ୍ତୁତି – ଜଟାଜୁଟ ସମାୟୁକ୍ତମ୍ ଉପସ୍ଥାପନ କରିଥିଲେ, ଯେଉଁଥିରେ ସେ ନିଜର ଲାଲିତ୍ୟପୂର୍ଣ୍ଣ ଅଙ୍ଗ ଭଙ୍ଗୀ ଓ ଅଭିବ୍ୟକ୍ତକାରି କାହାଣୀ କଥନ ଜରିଆରେ ଦେବୀ ଦୁର୍ଗାଙ୍କର ନାରୀ ଶକ୍ତିକୁ ସମ୍ମାନ ପ୍ରଦର୍ଶନ କରିଥିଲେ।
ପ୍ରଦର୍ଶନ କଳା ଜରିଆରେ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରୁଥିବା ଏହି ଉତ୍ସବର ଅନ୍ୟତମ ଉଲ୍ଲେଖନୀୟ ବିଷୟ ଥିଲା ଭୁବନେଶ୍ୱର ୟୁନିଟ – ୬ ସତ୍ୟଭାମା ଦେବୀ କଲେଜ୍ ଫର୍ ହିଅରିଂ ଇମ୍ପାୟାର୍ଡ ଛାତ୍ର ଛାତ୍ରୀଙ୍କ ହୃଦୟସ୍ପର୍ଶୀ ପ୍ରଦର୍ଶନ।
” ମୋ ଜାଗା କାଳିଆରେ”, ” ସଜନୀ ସଜନୀ କଳା ଚାନ୍ଦ” ଓ ” ସତ୍ୟ ଶିବମ ସୁନ୍ଦରମ୍” ଭକ୍ତି ଗୀତରେ ଆଧ୍ୟାତ୍ମିକ ଓ ଅଭିବ୍ୟକ୍ତକାରୀ ନୃତ୍ୟ ପ୍ରଦର୍ଶନ ଜରିଆରେ ଛାତ୍ର ଛାତ୍ରୀମାନେ ସେମାନଙ୍କର କଳାତ୍ମକ ପାରଦର୍ଶିତା ଓ ଏକାଗ୍ରତା ପ୍ରଦର୍ଶନ କରିଥିଲେ, ଯାହା ପ୍ରତିବନ୍ଧକର ଉର୍ଦ୍ଧ୍ୱକୁ ଯିବା ପାଇଁ ଅନ୍ତର୍ଭୁକ୍ତି ଓ କଳାର ସାମର୍ଥ୍ୟ ବାର୍ତ୍ତା ଦେଇଥିଲା।
୨୦୧୬ ରେ ସ୍ଥାପିତ ଏହି ପ୍ରତିଷ୍ଠାନ ଶ୍ରବଣ ଶକ୍ତି ବାଧିତ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ଓ ସେମାନଙ୍କ ପ୍ରତିଭା ପରିପୋଷଣ କରିବା ନିମନ୍ତେ ଉତ୍ସର୍ଗୀକୃତ। ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କ ମାର୍ଗଦର୍ଶନ ଅଧୀନରେ କଲେଜ୍ ଶିକ୍ଷା, ସୃଜନଶୀଳତା ଏବଂ ସାଂସ୍କୃତିକ ଅଂଶଗ୍ରହଣ ଜରିଆରେ ଛାତ୍ର ଛାତ୍ରୀଙ୍କୁ ବରାବର ଉତ୍ସାହିତ କରିଆସୁଛି।
ଏହି ଉତ୍ସବରେ ମଧ୍ୟ ରସୁଲଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଆଧ୍ୟାତ୍ମିକ ଭଜନ ଜରିଆରେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହୋଇଥିଲା।

