ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ ସେପ୍ଟେମ୍ବର ୪, ୨୦୨୬ରେ ଘୋଷଣା ହେବାପରେ ସେପ୍ଟେମ୍ବର ୧୬, ୨୦୨୬ ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି।
ସ୍ଥପତି ମୌସୁମୀ ନନ୍ଦ ଆଇଆଇଏ ଓଡ଼ିଶା ଚାପ୍ଟରର ଚେୟାରପର୍ସନ ଭାବରେ ନିର୍ବାଚିତ ହୋଇଛନ୍ତି।
ନୂତନ ଟିମ୍ ରେ ନିମ୍ନଲିଖିତ କାର୍ଯ୍ୟକର୍ତାଗଣ ରହିଛନ୍ତି। ସେମାନେ ହେଲେ ଆଇଆଇଏ ଓଡ଼ିଶା ଚାପ୍ଟରର ଚେୟାରପର୍ସନ ସ୍ଥପତି ମୌସୁମୀ ନନ୍ଦ, ଭାଇସ ଚେୟାରପର୍ସନ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ, ଅବୈତନିକ କୋଷାଧ୍ୟକ୍ଷ ସ୍ଥପତି ବିଭୁଦତ୍ତ ସାହୁ, ଯୁଗ୍ମ ଅବୈତନିକ ସମ୍ପାଦକ ସ୍ଥପତି ଦେବୀ ପ୍ରସାଦ ସାହୁ, ଯୁଗ୍ମ ଅବୈତନିକ ସମ୍ପାଦକ ସ୍ଥପତି ଭକ୍ତି ପ୍ରସାଦ ମହାପାତ୍ର ।
ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି ସଦସ୍ୟଗଣ ହେଉଛନ୍ତି ସ୍ଥପତି ନନ୍ଦିନୀ ପରିଡ଼ା, ଲଗ୍ନଜିତ ମହାପାତ୍ର, ଶିବ ପ୍ରସାଦ ରଥ,ସୌମ୍ୟ ରଞ୍ଜନ ବେହେରା, ସ୍ନେହଲତା ଦାଶ,ଅନୁସୂୟା ତ୍ରିପାଠୀ, ରବି ନାରାୟଣ ଦାସ, ଶଙ୍କର ଗିରି, ଅଭିନବ କୌଶଲ୍ , ମାନସ ରଞ୍ଜନ ନାୟକ ଏଥି ସହିତ ରୁଦ୍ର ସବିତ୍ରୁ ନାୟକ ଏବଂ ଦିବ୍ୟ ଜ୍ୟୋତି ରାୟଙ୍କୁ ମିଳିତ ଭାବରେ ଏକଜିକ୍ୟୁଟିଭ କମିଟି ସଦସ୍ୟ ଭାବରେ ମନୋନୀତ କରାଯାଇଛି।
ନୂଆ କାର୍ଯ୍ୟନିର୍ବାହୀ କମିଟି ଆନୁଷ୍ଠାନିକ ଭାବରେ ସେପ୍ଟେମ୍ବର ୧୬, ୨୦୨୬ରେ ଆଇଆଇଏ ଓଡ଼ିଶା ଚାପ୍ଟରର ୨୦୨୫-୨୬ ନିମନ୍ତେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ଅବସରରେ ଦାୟିତ୍ଵ ଗ୍ରହଣ କରିଥିଲେ। ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ ସହିତ ବୈଠକ ଆରମ୍ଭ ହୋଇଥିଲା ଏବଂ ଏହା ନୂତନ କାର୍ଯ୍ୟକାଳ ନିମନ୍ତେ ଏକ ଶୁଭାରମ୍ଭ ହୋଇଥିଲା।
ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମି ନନ୍ଦ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ ଏବଂ ଏହି ଅବସରରେ ବିଦାୟୀ ଚେୟାରପର୍ସନ ସ୍ଥପତି ସ୍ବପ୍ନଦତ୍ତା ମହାନ୍ତି ଉପସ୍ଥିତ ଥିଲେ। ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମି ନନ୍ଦ ବିଦାୟୀ ଚେୟାରପର୍ସନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସର ଭାଇସ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇଥିବା ସ୍ଥପତି ଅକ୍ଷୟ କୁମାର ବେଉରିଆଙ୍କୁ ମଧ୍ୟ ବୈଠକ ଅବସରରେ ସମ୍ମାନିତ କରାଯାଇଥିଲା।
ଜାତୀୟ ସ୍ତରରେ ତାଙ୍କର ନୂଆ ଦାୟିତ୍ଵ ନିମନ୍ତେ ସଦସ୍ୟଗଣ ତାଙ୍କୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ। ବିଦାୟୀ କୋଷାଧ୍ୟକ୍ଷ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ଆଇଆଇଏ ଓଡ଼ିଶା ଚାପ୍ଟରର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ, ଯାହାକୁ ବିଚାର ନିମନ୍ତେ ସାଧାରଣ ପରିଷଦ ନିକଟରେ ରଖାଯାଇଥିଲା। ସମାବେଶକୁ ସମ୍ବୋଧିତ କରି ନବ ନିର୍ବାଚିତ ଚେୟାରପର୍ସନ ସ୍ଥପତି ମୌସୁମୀ ନନ୍ଦ ୨୦୨୬-୨୮ ନିମନ୍ତେ ତାଙ୍କର ଦୂରଦୃଷ୍ଟି ଓ ଲକ୍ଷ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ବୃହତ୍ତର ସହଯୋଗିତା, ବୃତ୍ତିଗତ ଉତ୍କର୍ଷ, ସମାବେଶି, ଏବଂ ସ୍ଥପତି ଓ ପରିବ୍ୟାପ୍ତ ସମୁଦାୟଙ୍କ ସହିତ ଅର୍ଥପୂର୍ଣ୍ଣ ନିୟୋଜନତା ଜରିଆରେ ସ୍ଥାପତ୍ୟ ବୃତ୍ତିକୁ ଆଗେଇନେବାର ଗୁରୁତ୍ଵ ଉପରେ ଜୋର୍ ଦେଇଥିଲେ। ଓଡ଼ିଶା ଚାପ୍ଟରକୁ ଅଧିକ ପ୍ରଗତିଶୀଳ, ଦକ୍ଷ ଏବଂ ସ୍ଥାପତ୍ୟ ବୃତ୍ତିଧାରୀଙ୍କ ନୂତନ ଆବଶ୍ୟକତା ଓ ଆକାଂକ୍ଷା ନିମନ୍ତେ ଅଧିକ ସମ୍ବେଦୀ କରି ଗଢି ତୋଳିବାକୁ ସେ ନିଜର ପ୍ରତିବଦ୍ଧତା ଜଣାଇଥିଲେ।
ନୂଆ ଏକଜିକ୍ୟୁଟିଭ କମିଟି ବିଗତ ନେତୃତ୍ୱଙ୍କ ସଫଳତା ଆଧାରରେ ଆଗକୁ ବଢିବା ପାଇଁ ନିଜର ପ୍ରତିବଦ୍ଧତା ଜଣାଇବା ସହିତ ବୃତ୍ତିଗତ ବିକାଶ, ଜ୍ଞାନ ଆଦାନ ପ୍ରଦାନ, ସାମର୍ଥ୍ୟ ନିର୍ମାଣ ଏବଂ ସଦସ୍ୟ ମାନଙ୍କର ବୃହତ୍ତର ଅଂଶଗ୍ରହଣ ଓ ବିଭିନ୍ନ ଅଂଶୀଦାରଙ୍କ ସହିତ ଗଠନମୂଳକ ନିୟୋଜନତା ଜରିଆରେ ଆଇଆଇଏ ଓଡ଼ିଶା ଚାପ୍ଟରର କାର୍ଯ୍ୟକଳାପ ଅଧିକ ସୁଦୃଢ କରିବାକୁ ପ୍ରତିବଦ୍ଧତା ଜଣାଇଥିଲେ। ଭାଇସ୍ ଚେୟାରପର୍ସନ ସ୍ଥପତି ଲକ୍ଷ୍ମୀ ନାରାୟଣ ସିଂହ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିବା ସହିତ ବୈଠକ ସମାପ୍ତ ହୋଇଥିଲା। ସେ ବିଦାୟୀ କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କୁ ତଥା ସାଧାରଣ ପରିଷଦ ବୈଠକର ସଫଳ ଆୟୋଜନ ଏବଂ ନୂଆ କାର୍ଯ୍ୟ ନିର୍ବାହୀ କମିଟି ଦାୟିତ୍ଵ ଗ୍ରହଣକୁ ସଫଳତାର ସହିତ ପରିଚାଳନା କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଆଇଆଇଏ ଓଡ଼ିଶା ଚାପ୍ଟର ୨୦୨୬-୨୮ ଅବଧିରେ ଏକ ପ୍ରଗତିଶୀଳ, ସମାବେଶୀ ଓ ବୃତ୍ତିଗତ ଦୃଷ୍ଟିରୁ ସମୃଦ୍ଧ କାର୍ଯ୍ୟ ନିମନ୍ତେ ଆଇଆଇଏ ଓଡ଼ିଶା ଚାପ୍ଟର ଲକ୍ଷ୍ୟ ରଖିଥିବା ବେଳେ ନୂଆ ନେତୃତ୍ୱ ସ୍ଥାପତ୍ୟ ବୃତ୍ତିର ସ୍ୱାର୍ଥ ଆଗକୁ ଆଗେଇ ନେବା ଏବଂ ଓଡ଼ିଶାର ନିର୍ମାଣ ପରିବେଶ ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ରଖିବାକୁ ନୂତନ ନେତୃତ୍ୱ ପ୍ରତିବଦ୍ଧତା ଜଣାଇଥିଲେ।

