ନୂଆଦିଲ୍ଲୀ: ଜାନୁଆରି ମାସରେ ଜିଏସ୍ଟି ଆଦାୟ ୧୨.୩% ବୃଦ୍ଧି ହୋଇ ୧.୯୬ ଲକ୍ଷ କୋଟି ଟଙ୍କା ଛୁଇଁଛି । ଯାହା ଗତ ବର୍ଷ ସମାନ ଅବଧିରେ ୧.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଦେଶର ଅର୍ଥନୀତି ଏବେ ଟ୍ରାକ୍କୁ ଫେରୁଥିବାରୁ ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଜିଏସ୍ଟି ସଂଗ୍ରହ ସମ୍ପର୍କିତ ଡାଟାକୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ଆଦାୟ ହୋଇଥିବା ଟିକସ ମଧ୍ୟରେ ଘରୋଇ ବଜାରରୁ ସାମଗ୍ରୀ ଓ ସେବା ବିକ୍ରିରୁ ୧.୪୭ ଲକ୍ଷ କୋଟି ଏବଂ ସାମଗ୍ରୀ ଆମଦାନି ବାବଦକୁ ୪୮,୩୮୨ କୋଟିର ଟିକସ ସାମିଲ ରହିଛି।
ଡିସେମ୍ବର ମାସରେ ଜିଏସ୍ ଟି ଆଦାୟ ୭.୩% ବୃଦ୍ଧି ହୋଇ ୧.୭୭ ଲକ୍ଷ କୋଟି ଟଙ୍କା ରହିଥିଲା। ନଭେମ୍ବର ମାସରେ ଟିକସ ଆଦାୟ ଅଭିବୃଦ୍ଧି ୮.୩% ରହିଥିଲା। ଯାହା ଡିସେମ୍ବରେ ପ୍ରଭାବିତ ହୋଇଥିଲା। ପାର୍ବଣ ପରେ ଅର୍ଥନୀତି ଧିମା ରହିବା ଯୋଗୁ ଟିକସ ଆଦାୟ ଉପରେ ଏହାର ପ୍ରଭାବ ପଡିଥିଲା। ଜାନୁଆରି ମାସର ମୋଟ ଜିଏସ୍ଟି ମଧ୍ୟରେ କେନ୍ଦ୍ର ଜିଏସ୍ଟିର ଭାଗ ୩୬,୧୦୦ କୋଟି ଟଙ୍କା ରହିଥିବାବେଳେ ରାଜ୍ୟଗୁଡିକର ଅଂଶ ୪୪,୯୦୦ କୋଟି ଟଙ୍କା ରହିଛି। ଏହାବାଦ ୧.୦୧ ଲକ୍ଷ କୋଟିର ସମନ୍ବିତ ଜିଏସ୍ଟି ଏବଂ ଜିଏସ୍ଟି ସେସ୍ ବାବଦକୁ ୧୩, ୪୦୦ କୋଟି ଟଙ୍କା ରହିଛି।
୨୦୨୪-୨୫ର ଏପ୍ରିଲ-ଜାନୁଆରି ଅବଧିରେ ଜିଏସ୍ଟି ଆଦାୟ ୯.୪% ବୃଦ୍ଧି ହୋଇ ୧୮.୨୮ ଲକ୍ଷ କୋଟି ଟଙ୍କା ରହିବା ନେଇ ବଜେଟରେ ସରକାର ଆକଳନ କରିଛନ୍ତି । ଯାହା ପୂର୍ବ ଅବଧି ବା ୨୦୨୩-୨୪ ତୁଳନାରେ ୧୧% ଅଧିକ ରହିବ। ଏହା ମଧ୍ୟରେ ୨୨.୦୭ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଏବଂ ୧୬.୩୩ ଲକ୍ଷ କୋଟିର ପରୋକ୍ଷ ଟିକସ ସାମିଲ ରହିଛି। କିଛି ବର୍ଗର ସାମଗ୍ରୀ ଉପରେ ଟିକସ ଶୂନକୁ ହ୍ରାସ ହୋଇଛି। ଫଳରେ ଲୋକମାନେ ଏହାଦ୍ବାରା ଲାଭବାନ ହୋଇଛନ୍ତି। ବିଭିନ୍ନ ସମୟରେ ଜିଏସ୍ଟି ପରିଷଦର ଅନୁମୋଦନ ପରେ ଏହି ତାଲିକାରେ ସଂଶୋଧନ କରାଯାଉଛି। ଏ କ୍ଷେତ୍ରରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସ୍ଟି ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ସରକାର ବଜେଟରେ ୧୧.୫୪ ଲକ୍ଷ କୋଟି ଟଙ୍କା ବଜାରରୁ ଉଠାଇବା ଲାଗି ଯୋଜନା ରଖିଛନ୍ତି। ସେହିଭଳି ଅନ୍ୟ ପାଣ୍ଠି ସ୍ବଚ୍ଛ ସଞ୍ଚୟ ଯୋଜନା ଫଣ୍ଡରୁ ସଂଗ୍ରହ କରାଯିବ ବୋଲି ସରକାର କହିଛନ୍ତି। ସରକାରଙ୍କ ମୋଟ ଋଣ ୫.୭% ବୃଦ୍ଧି ହୋଇ ଏଥର ୧୪.୮୨ ଲକ୍ଷକୋଟି ଟଙ୍କା ଛୁଇଁବ। ଯାହା ପୂର୍ବ ଅବଧିରେ ୧୪.୦୧ ଲକ୍ଷ କୋଟି ଟଙ୍କା ରହିଥିଲା। ଏହା ୨୦୨୩-୨୪ ସମାନ ଅବଧିରେ ୧୬.୭୧ ଲକ୍ଷ କୋଟି ଟଙ୍କା ରହିଛି। ଏପ୍ରିଲ ୨୦୨୪ରେ ସରକାର ୨.୧୦ ଲକ୍ଷ କୋଟିର ପରୋକ୍ଷ ଟିକସ ଆଦାୟ କରିଥିଲେ। ଆର୍ଥକ ବର୍ଷ ୨୦୨୩-୨୪ରେ ମୋଟ ଜିଏସ୍ଟି ଆଦାୟ ୧୧.୭% ବୃଦ୍ଧିହୋଇ ୨୦.୦୮ ଲକ୍ଷ କୋଟି ଟଙ୍କା ରହିଥିଲା।
କେନ୍ଦ୍ର ସରକାର ୨୦୧୭ ଜୁଲାଇ ପହିଲାରେ ସାମଗ୍ରୀ ଓ ସେବା ଟିକସ କାର୍ଯ୍ୟକାରୀ କରାଇଥିଲେ। ଜିଏସ୍ଟି ପରେ ରାଜ୍ୟଗୁଡିକ ରାଜସ୍ବ କ୍ଷତି ସହିଲେ ସେମାନଙ୍କୁ କ୍ଷତି ପୂରଣ ଦେବା ଲାଗି କହିଥିଲେ ସରକାର। ହେୟାର ଅଏଲ, ଟୁଥପେଷ୍ଟ, ୱାଶିଂ ପାଉଡର, ଅଗ, ଚାଉଳ, ଦହି, ଲସି, ହାତ ଘଣ୍ଟା, ୩୨ ଇଞ୍ଚ ଯାଏ ଟିଭି, ଫ୍ରିଜ ୱାଶିଂ ମେଶିନ ଏବଂ ମୋବାଇଲ ଫୋନ ଭଳି ଅନ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଧିରେ ଧିରେ ହ୍ରାସ ହୋଇଛି।